ନୂଆଦିଲ୍ଲୀ: ଗ୍ରୀସ୍ର ଥେସାଲୋନିକିରୁ ଜର୍ମାନୀର ମେମିଙ୍ଗେନ୍ ଯାଉଥିବା ଏକ ବିମାନରେ ଭୟଙ୍କର ଘଟଣା ଘଟିଛି। ଉଡ଼ାଣ ସମୟରେ ଜଣେ ଯାତ୍ରୀଙ୍କ ପାଖ ଝରକା ହଠାତ୍ ଖସିଯିବାରୁ କ୍ୟାବିନ୍ର ବାୟୁଚାପ କମି ଯାଇଥିଲା ଏବଂ ଅକ୍ସିଜେନ୍ ମାସ୍କ ତଳକୁ ଖସିଥିଲା।
ରିପୋର୍ଟ ଅନୁଯାୟୀ, ଝରକା ନିକଟରେ ବସିଥିବା ସର୍ବିଆର ଜଣେ ପର୍ଯ୍ୟଟକଙ୍କ ମୁଣ୍ଡ ଓ କାନ୍ଧ ବାହାରକୁ ଟାଣି ହୋଇଯାଇଥିଲା। ସେ ସିଟ୍ବେଲ୍ଟ ପିନ୍ଧିଥିବାରୁ ସମ୍ପୂର୍ଣ୍ଣ ବାହାରକୁ ଯାଇନଥିଲେ; ସହଯାତ୍ରୀମାନେ ତୁରନ୍ତ ତାଙ୍କୁ ଭିତରକୁ ଟାଣି ଆଣିଥିଲେ।
ଯାତ୍ରୀଙ୍କ ଦେହରେ ସାମାନ୍ୟ ଘର୍ଷଣଜନିତ ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଥିଲା। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ଏହି ଘଟଣା ପୁଣିଥରେ ଉଡ଼ାଣ ସମୟରେ ସିଟ୍ବେଲ୍ଟ ପିନ୍ଧିବାର ଗୁରୁତ୍ୱକୁ ସାମ୍ନାକୁ ଆଣିଛି।