ବେଜିଂ, ୧୦/୦୭: ବନ୍ୟା ସମୟରେ ରାସ୍ତାଘାଟ ଜଳମଗ୍ନ ହେବା ସାଧାରଣ ଘଟଣା। କିନ୍ତୁ ସେହି ବନ୍ୟା ପାଣିରେ ଶହ ଶହ ବିଷାକ୍ତ ସାପ ଭାସୁଥିବା ଦୃଶ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଚୀନର ଗୁଆଙ୍ଗ୍ସି ପ୍ରଦେଶରେ ଭୟଙ୍କର ବନ୍ୟା ପରେ ୯୦୦ରୁ ଅଧିକ ବିଷାକ୍ତ ସାପ ସ୍ନେକ୍ ଫାର୍ମରୁ ବାହାରି ଆସିଥିବା ଜଣାପଡ଼ିଛି।
ଲଗାତାର ପ୍ରବଳ ବର୍ଷା ଯୋଗୁଁ ଗୁଆଙ୍ଗ୍ସି ପ୍ରଦେଶରେ ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପାଣିରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସାଧାରଣ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହା ମଧ୍ୟରେ ବିଷାକ୍ତ ସାପ ଖୋଲାରେ ବୁଲୁଥିବା ଘଟଣା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି।
ସୂଚନା ଅନୁସାରେ, ବନ୍ୟା ପାଣିରେ ଅନେକ ସ୍ନେକ୍ ଫାର୍ମ ବୁଡ଼ିଯିବା ପରେ ୯୦୦ରୁ ଅଧିକ ସାପ ବାହାରକୁ ଚାଲି ଆସିଛନ୍ତି। ଏହି ସାପମାନଙ୍କ ମଧ୍ୟରେ କିଙ୍ଗ କୋବ୍ରା ପରି ଅତ୍ୟନ୍ତ ବିଷାକ୍ତ ପ୍ରଜାତି ମଧ୍ୟ ରହିଥିବା କୁହାଯାଉଛି। ଫଳରେ ବନ୍ୟା ପାଣି ଭିତରକୁ ଯିବାକୁ ସ୍ଥାନୀୟ ଲୋକେ ଭୟ କରୁଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଛି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ଅନାବଶ୍ୟକ ନ ଯିବା ଏବଂ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହି ଘଟଣା ମଧ୍ୟରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ବନ୍ୟା କାରଣରୁ ରାସ୍ତା ଜଳମଗ୍ନ ଥିବାରୁ ତାଙ୍କୁ ଠିକ୍ ସମୟରେ ହସ୍ପିଟାଲକୁ ନେବା ସମ୍ଭବ ହୋଇନଥିଲା।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଭିଡିଓରେ ବନ୍ୟା ପାଣିରେ ସାପ ଭାସୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। କିଛି ସ୍ଥାନରେ ଲୋକମାନେ ଆଣ୍ଠୁରୁ ଅଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ପଶି ସାପ ଧରିବାକୁ ଚେଷ୍ଟା କରୁଥିବା ବେଳେ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ସାପଗୁଡ଼ିକୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇଛନ୍ତି।
ଗୁଆଙ୍ଗ୍ସି ପ୍ରଦେଶ ଚୀନର ଏକ ପ୍ରମୁଖ ସାପ ପାଳନ କେନ୍ଦ୍ର ଭାବେ ପରିଚିତ। ଏଠାରେ ପ୍ରାୟ ୩ କୋଟି ସାପ ପାଳନ କରାଯାଏ। ପାରମ୍ପରିକ ଔଷଧ, ଚମଡ଼ା ସାମଗ୍ରୀ ଏବଂ ମାଂସ ପାଇଁ ଏହି ସାପଗୁଡ଼ିକର ବ୍ୟବହାର କରାଯାଏ। ବନ୍ୟା ପରେ ବିଭିନ୍ନ ଜଳମଗ୍ନ ଅଞ୍ଚଳରେ ସାପ ଦେଖାଯାଉଥିବା କଥା ପ୍ରଶାସନ ମଧ୍ୟ ସ୍ୱୀକାର କରିଛି। ଏହାକୁ ଦୃଷ୍ଟିରେ ରଖି ସାପ ଧରିବା ପାଇଁ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ନିୟୋଜିତ କରାଯାଇଛି।
ବନ୍ୟାର ପ୍ରକୋପ ଯୋଗୁଁ ଗୁଆଙ୍ଗ୍ସି ପ୍ରଦେଶର ପ୍ରାୟ ୧ ଲକ୍ଷ ୩୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୮ ହଜାରରୁ ଅଧିକ କର୍ମଚାରୀ ଏବଂ ପ୍ରାୟ ୫,୭୦୦ଟି ଡଙ୍ଗା ନିୟୋଜିତ ହୋଇଥିବା ସୂଚନା ମିଳିଛି।