ନୂଆଦିଲ୍ଲୀ: ଚେକ୍ ବାଉନ୍ସ ସମ୍ପର୍କିତ ସାତଟି ମାମଲାରେ ଅଭିନେତା ରାଜପାଲ ଯାଦବଙ୍କ ବିରୋଧରେ ଥିବା ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଥିବା ରିପୋର୍ଟ ହୋଇଛି। ଆପୋସ ବୁଝାମଣା ପାଇଁ ହୋଇଥିବା ଶେଷ ପ୍ରୟାସ ସଫଳ ନହେବା ପରେ ଅଦାଲତ ଏହି ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ମାମଲାରେ ତିନି ମାସର ଜେଲ୍ ଦଣ୍ଡ ରହିଥିଲେ ମଧ୍ୟ ସମସ୍ତ ଦଣ୍ଡ ଏକସାଙ୍ଗରେ କାର୍ଯ୍ୟକାରୀ ହେବ। ଏଥିସହ ପ୍ରତି ମାମଲାରେ ୧.୦୫ କୋଟି ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ ହୋଇଥିବା କୁହାଯାଇଛି।
ଶୁଣାଣି ସମୟରେ ବକେୟା ଟଙ୍କା ପରିଶୋଧ ଓ ପୂର୍ବ ଆଶ୍ୱାସନ ପାଳନକୁ ନେଇ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ଆଦେଶ ପରେ ମାମଲାର ପରବର୍ତ୍ତୀ ଆଇନଗତ ପଦକ୍ଷେପ ଉପରେ ନଜର ରହିଛି।