ନୂଆଦିଲ୍ଲୀ, ୧୦/୦୭: ବିବାହ ମଣ୍ଡପରେ ସାତ ଫେରା ଚାଲିଥିବା ବେଳେ ଏକ ମଜାକୁ କେନ୍ଦ୍ର କରି ବଡ଼ ବିବାଦ ସୃଷ୍ଟି ହୋଇଥିଲା। ବରଙ୍କ ସାନ ଭାଇ କନ୍ୟାଙ୍କ ଓଢ଼ଣା ଟାଣିଦେବା ପରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ମାରପିଟ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶେଷରେ ବିବାହ ଅଧାରେ ଅଟକି ମାମଲା ଥାନାରେ ପହଞ୍ଚିଥିଲା।
ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ରାଜକୁମାରଙ୍କ ଝିଅ ନହ୍ନିଙ୍କ ବିବାହ ସୀତାପୁରର ଦିନେଶଙ୍କ ସହ ଚାଲିଥିଲା। ସାତ ଫେରା ସମୟରେ ବରଙ୍କ ସାନ ଭାଇ ମୁକେଶ ମଜାକରେ କନ୍ୟାଙ୍କ ଓଢ଼ଣା ଟାଣିଦେବାରୁ ବିବାଦ ଆରମ୍ଭ ହୋଇଥିଲା।
ମଜାକୁ ନେଇ ଉତ୍ତେଜନା
ଘଟଣାକୁ ନେଇ କନ୍ୟା ପକ୍ଷ ଆପତ୍ତି ଜଣାଇବା ପରେ ଦୁଇ ପକ୍ଷ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ବିବାହ ଉତ୍ସବରେ କିଛି ଲୋକ ମଦ୍ୟପାନ କରିଥିବାରୁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇ ମାରପିଟ୍ ହୋଇଥିଲା।
ଏହି ଘଟଣାରେ ବରଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ କନ୍ୟାଙ୍କ ଜଣେ ସମ୍ପର୍କୀୟ ମଧ୍ୟ ଆହତ ହୋଇଥିଲେ। ଫଳରେ ବିବାହ ରୀତିନୀତି ବନ୍ଦ କରି ଉଭୟ ପକ୍ଷ ଅତରୌଲି ଥାନାରେ ପହଞ୍ଚିଥିଲେ।
ଆପୋସ ବୁଝାମଣା ପରେ ସମ୍ପନ୍ନ ହେଲା ବିବାହ
ପୋଲିସ ଓ ଗାଁ ମୁଖିଆଙ୍କ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା। ଆହତଙ୍କ ଚିକିତ୍ସା ପାଇଁ ୪,୫୦୦ ଟଙ୍କା ପ୍ରଦାନ କରାଯିବା ସହ କୌଣସି ଏତଲା ରୁଜୁ ହୋଇନଥିଲା।
ଥାନାରୁ ଫେରିବା ପରେ ପୁଣିଥରେ ବିବାହ ମଣ୍ଡପରେ ରୀତିନୀତି ଆରମ୍ଭ ହୋଇଥିଲା। ବର ଦିନେଶ କନ୍ୟା ନହ୍ନିଙ୍କ ସିନ୍ଦୂରଦାନ କରିବା ପରେ ବାକି ସମସ୍ତ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ପରେ ପରିବାର ଲୋକଙ୍କ ଉପସ୍ଥିତିରେ କନ୍ୟାଙ୍କୁ ବିଦାୟ ଦିଆଯାଇଥିଲା।