ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
Blog

Sea Erosion in Odisha: ରାତିରେ ବଦଳିଗଲା ଦୃଶ୍ୟ, ସକାଳେ ଘର ଆଗରେ ସମୁଦ୍ର ପାଣି

By nirnay_admin Published on July 3, 2026 1 ମିନିଟ୍

ଛତ୍ରପୁର, ୦୩ ଜୁଲାଇ: ଗଞ୍ଜାମ ଜିଲ୍ଲାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ଗଞ୍ଜାମ ବ୍ଲକର ପୋଡ଼ମପେଟା ଅଞ୍ଚଳରେ ସମୁଦ୍ର କୂଳ ଲଙ୍ଘି ଭିତରକୁ ମାଡ଼ି ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ବିଶେଷକରି ପାଳିବନ୍ଧ ପଞ୍ଚାୟତର ୩ଟି ଏବଂ ରାମଗଡ଼ ପଞ୍ଚାୟତର ୭ରୁ ଅଧିକ ଗାଁର ବାସିନ୍ଦା ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି।

ଏକ ସମୟରେ ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ସମୁଦ୍ର ବର୍ତ୍ତମାନ ଗ୍ରାମ ନିକଟରେ ପହଞ୍ଚିଯାଇଛି। ସମୁଦ୍ରର ଲଗାତାର ଅଗ୍ରଗତି ଫଳରେ ଜନବସତି ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ପୋଡ଼ମପେଟାରେ ଗତ କିଛି ବର୍ଷ ମଧ୍ୟରେ ଅନେକ ଘର ସମୁଦ୍ର ଗର୍ଭରେ ବିଲୀନ ହୋଇସାରିଛି। ଯେଉଁଠାରେ ପୂର୍ବରୁ ପ୍ରାୟ ୫୦୦ଟି ଘର ଥିଲା, ବର୍ତ୍ତମାନ ସେଠାରେ ମାତ୍ର କିଛି ଘର ଅବଶିଷ୍ଟ ରହିଛି।

ଯଦିଓ ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ଜନବସତି କମିଯାଇଛି, ତଥାପି ସମୁଦ୍ର କୂଳ କ୍ଷୟ ଜାରି ରହିଥିବାରୁ ଆଗାମୀ ଦିନରେ ଦୁଇଟି ପଞ୍ଚାୟତର ପ୍ରାୟ ୧୭ଟି ଗ୍ରାମ ବିପଦରେ ପଡ଼ିପାରେ ବୋଲି ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି। ସେମାନେ ତୁରନ୍ତ ସମୁଦ୍ର କୂଳ ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ଦାବି କରିଛନ୍ତି।

ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସମୁଦ୍ର ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଥିବାରୁ ଜନବସତି, ଚାଷଜମି ଓ ସାଧାରଣ ଜନଜୀବନ ବିପଦରେ ପଡ଼ୁଛି। ପ୍ରସିଦ୍ଧ ବଟେଶ୍ୱର ପୀଠର ସୁରକ୍ଷା ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି।

ବିଧାୟକଙ୍କ କହିବାନୁସାରେ, ବର୍ତ୍ତମାନର ପରିସ୍ଥିତି ଜାରି ରହିଲେ ବଟେଶ୍ୱର ପୀଠ ସମେତ ଅନେକ ଗ୍ରାମ ସମୁଦ୍ର ଗର୍ଭରେ ବିଲୀନ ହେବାର ଆଶଙ୍କା ରହିଛି। ସେଥିପାଇଁ ସମୁଦ୍ର କୂଳ ସୁରକ୍ଷା ପ୍ରକଳ୍ପକୁ ଶୀଘ୍ର ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ଦେଇ କାମ ଆରମ୍ଭ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ, ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିଥିବାରୁ ପଶ୍ଚିମବଙ୍ଗର ଦୀଘା ଓ ତାଳସାରି-ଉଦୟପୁର ଉପକୂଳରେ ପ୍ରାୟ ୧୦ ଫୁଟ ଉଚ୍ଚର ଜୁଆର ଦେଖିବାକୁ ମିଳିଛି। କେତେକ ସ୍ଥାନରେ ସୁରକ୍ଷା ବନ୍ଧ ଡେଇଁ ସମୁଦ୍ର ପାଣି ସହର ଭିତରକୁ ପ୍ରବେଶ କରିଥିବାରୁ ସ୍ଥାନୀୟ ପ୍ରଶାସନ ସତର୍କତା ଜାରି କରିଛି। ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ବିଭିନ୍ନ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ପ୍ରସାରଣ କରାଯାଉଛି।

Leave a Reply

Your email address will not be published. Required fields are marked *

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ